ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ କଥାହେଲେ । ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ । ଏହି ଦାୟିତ୍ବ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି । ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ । ପବନ, ବର୍ଷା ମାଡ଼କୁ ଖାତିର ନ କରି ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇଥିଲେ ।
ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି। ଏନେଇ ସେ ଏକ ବୈଠକ କରିଛନ୍ତି। ଏଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ମଧ୍ୟରାତ୍ରିରୁ ଆଜି ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ ହୋଇଛି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିଵା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆମର ଟିମ ୱାର୍କ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଆଜି ଅପରାହ୍ନ ଗୋଟେ ସୁଦ୍ଧା ସେ ସବୁ କ୍ଲିୟର କରାଯିବ । ବିଦ୍ୟୁତ୍ ପୁଣି ଆଜି ସନ୍ଧ୍ୟା ସୁଦ୍ଧା ଆସିଯିବ । ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ଆଜି ସକାଳ ୯ଟା ସମୟରେ ପ୍ରଥମ ବିମାନ ଅବତରଣ କରିବ । ଟେଲିଫୋନ ସେବା ସ୍ୱାଭାବିକ ଅଛି । ସ୍ୱାସ୍ଥ୍ୟ ସେବା ମଧ୍ୟ ସ୍ୱାଭାବିକ ଭାବେ ଯାରି ରହିଛି । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳା ମାନଙ୍କ ମଧ୍ୟରୁ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି ।