ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପାଇଁ ଧାଇଁ ଆସିଥିଲେ ଲୋକେ । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ। କାହାର ଘର ଦରକାର, କାହାର ଚାକିରି ଦରକାର, କାହାର ଭତ୍ତା ଦରକାର, କାହାର ନ୍ୟାୟ ଦରକାର। କାହାର ପେନସନ ସମସ୍ୟା ଅଛି । କାହାର ଗାଁରେ ପାନୀୟ ଜଳ ନାହିଁ । କାହାର ଗାଁକୁ ରାସ୍ତା ନାହିଁ । ଏସବୁ ସମସ୍ୟା ଜଣାଇବା ପାଇଁ ଲେଖି ଆଣିଥିଲେ ଲୋକେ । ସମସ୍ତଙ୍କ ବସିବା ପାଇଁ ବ୍ୟବସ୍ଥା କରିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପଂଜୀକରଣ ପାଇଁ ବ୍ୟବସ୍ଥା ହୋଇଥିଲା ।
ଯେଉଁମାନେ ସୁଯୋଗ ପାଇଲେ ସେମାନେ ଖୁସି ଥିବା ବେଳେ ଯେଉଁମାନେ ସମସ୍ୟା ଜଣାଇପାରିନାହାଁନ୍ତି ସେମାନେ ମନଦୁଖରେ ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ତେବେ ଆହୁରି ହଜାର ହଜାର ଲୋକ ପଂଜିକରଣ କରିପାରିନାହାଁନ୍ତି ।