ପେଟ୍ରୋଲ୍ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ । କିନ୍ତୁ ଛପି ରହିଥିଲେ ଲୁଟେରା । ଗୁଳି ମାରି ନେଇଗଲେ ଟଙ୍କା । ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରରେ ଘଟିଛି। ଦୁଇ ଜଣ କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ବ୍ୟାଙ୍କ ନିକଟରୁ ଲୁଟି ନେଇଛନ୍ତି ଟଙ୍କା । ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ନେଇଗଲେ ୧୨ ଲକ୍ଷ ଟଙ୍କା।
କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍ ପମ୍ପର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ୧୨ ଲକ୍ଷ ଟଙ୍କା ଧରି ବାଇକ୍ରେ ବର୍ତ୍ତନାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାକୁ ଯାଉଥିଲେ। ସେମାନେ ବ୍ୟାଙ୍କ ମୁଖ୍ୟ ଫାଟକ ପାଖରେ ପହଞ୍ଚିବା ବେଳେ ୩ଟି ବାଇକ୍ରେ ୬ ଜଣ ଯୁବକ ଆସି ବନ୍ଧୁକ ଦେଖାଇ ଲକ୍ଷ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ପରେ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।