ଭୁବନେଶ୍ବର: କଣ ପାଇଁ ନାବାଳକ ହତ୍ୟା କଲା ଝିଅର ଦାଦାଙ୍କୁ । କାହିଁକି ସେ ହତ୍ୟାକାରୀ ସାଜିଲା । ପ୍ରେମରେ ବାଧା ଦେବାରୁ କଣ ଜଣେ ନା ବାଳକ ଏପରି ହତ୍ୟା କରିପାରେ । ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଛି । ଆଜିକାଲି ଏପରି ହିଂସାକାଣ୍ଡ ଘଟାଇବାକୁ କୁଆଡୁ ସାହସ ପାଉଛନ୍ତି ନାବାଳକ ତାହା ରାଜଧାନୀରେ ଆଲୋଚନାର ବିଷୟ ପାଲଟିଛି । ଏପରି ଏକ ହତ୍ୟାକାଣ୍ଡ ଘଟିିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ଜଣେ ଝିଅକୁ ଏକପାଖିଆ ଭଲପାଉଥିବା ନାବାଳକ ରାଗରେ ଝିଅର ଦାଦାକୁ ନୃଶଂସ ଭାବେ ହତ୍ୟା କରିଛି ।
ଘଟଣା ଅନୁସାରେ ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଦାଦା । ଆଉ ସେହି ରାଗରୁ ଏତେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲା ନାବାଳକ । କୁହାଯାଉଛି ପ୍ରେମରେ ବିଫଳ ହେବାରୁ ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଗଲେ ରାକ୍ଷାସ । ଏପରିକି ରାତି ଅଧରେ ବାଇକ୍ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।
ଏପରି ଲୋମଟାଙ୍କୁରା ଘଟଣା ଗତକାଲି ରାତି ଅଧରେ ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଘଟିଛି । ଗତ ରାତିରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଲେ ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ ।
ଜଗାଙ୍କ ଝିଆରୀଙ୍କ ସହ ଉକ୍ତ ସାହିର ଜଣେ ନାବାଳକଙ୍କର ପ୍ରେମ ସମ୍ପର୍କ ଥିଲା। ନାବାଳକଜଣକ ଯୁକ୍ତ-୨ର ଛାତ୍ର ବୋଲି ଜଣାଯାଇଛି। ଏହି ଘଟଣାକୁ ଜଗା ତୀବ୍ର ବିରୋଧ କରୁଥିଲେ। ଏହି ବିରୋଧକୁ ଉକ୍ତ ନାବାଳକ ସହି ପାରିନଥିଲା । ପ୍ରତିଶୋଧ ନେଇଥିଲା ନାବାଳକ ।
ନିଜ ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକଜଣକ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଆକ୍ରମଣ ଯୋଜନା କରିଥିଲା । ଗତ ରାତିରେ ଜଗା ବାଇକ୍ରେ ଘରକୁ ଫେରୁଥିବା ବେଳେ ହାତରେ ଏକ ଖଣ୍ଡା ଧରି ଅନ୍ଧାରୁଆ ଜାଗାରେ ଲୁଚି ରହିଥିଲା ନାବାଳକ । ଜଗା ଆସୁଥିବା ଦେଖି ସେ ଖଣ୍ଡାରେ ତାଙ୍କ ବେକକୁ ଏକ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଗାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା। ଏହାପରେ ତୁରନ୍ତ ନାବାଳକଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।
ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୁଲିସ୍କୁ ଖବର ଦେଇଥିଲେ। ଖଣ୍ଡଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।
ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପ୍ରାୟ ୨ ଘଣ୍ଟା ପରେ ପୁଲିସ୍ ଅଭିଯୁକ୍ତ ନାବାଳକକୁ କାବୁ କରି ଥାନାରେ ଅଟକ ରଖିଛି। ଏଥିସହ ଘଟଣା ସମ୍ପର୍କରେ ତାଙ୍କୁ ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି। ତଦନ୍ତ ପରେ ସ୍ପଷ୍ଟ ହେବ ଆଉ କଣ କାରଣ ରହିଛି ।