ଯାହା ଆଶା କରାଯାଉଥିଲା ତାହା ହେଲା । ବିଜେଡିରୁ ଆସି ବିଜେପିରେ ଯୋଗଦେଇଥିଲେ ମମତା ମହାନ୍ତ । ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ସେ ଏବେ ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେପି ନେତା ମମତା ମହାନ୍ତ ପ୍ରଥମେ ପ୍ରାର୍ଥୀ ହୋଇଥିଲେ। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଏନେଇ ବିଜେପି ଏକ ସଂକେତ ଦେଇଛି । ଯେଉଁମାନେ ଦଳକୁ ଆସିବେ ତାଙ୍କୁ ଉଚିତ ସମ୍ମାନ ମିଳିବ ।
ମମତା ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର । ତାଙ୍କ ସଂପ୍ରଦାୟରେ ସେ ଜଣେ ଟାଣୁଆ ନେତ୍ରୀ । ମମତା ମହାନ୍ତ ୨୦୨୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥା’ନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସହିତ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପର ଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିଥିଲେ।
ତାଙ୍କ ଇସ୍ତଫା ପରେ ଆଶା କରାଯାଉଥିଲା ଦଳ ତାଙ୍କୁ ପୁଣି ରାଜ୍ୟସଭା ପଠାଇବ । ଏହା ପରେ ବିଜେଡି ଉପରେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏମିତିକି ତାଙ୍କୁ ନିର୍ବାଚନ ପରେ ବିଜେଡିରୁ ବାହାର କରି ଦେବାକୁ ଧମକ ଦିଆଯାଇଥିଲା।
ସପ୍ତାହେ ତଳେ ବିଜେପି ମମତା ମହାନ୍ତଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଥିଲା। ଗତ ଅଗଷ୍ଟ ୨୧ ତାରିଖରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।