ଜୟପୁର: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଆଜି ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । କମଳାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଥିଲେ। କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍ ଉପସ୍ଥିତ ଥିଲେ । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ। କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କମଳା ପୂଜାରୀଙ୍କର ଦେହାନ୍ତ ହୋଇଥିଲା ଅନେକ ଦେଶୀ ଧାନ କିସମକୁ ସଂଗ୍ରହ କରି ପୁନର୍ଜନ୍ମ ଦେଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଲୁପ୍ତପ୍ରାୟ ଦେଶୀ ଧାନ କିସମର ସଂରକ୍ଷଣ ହେଉ, କି ଜୈବିକ କୃଷିର ପ୍ରଚାର ପ୍ରସାର, ଦାରିଦ୍ର୍ୟ ଓ ବୟସକୁ ଖାତିର ନକରି ହାତଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ଅଭିଯାନ ଜାରି ରଖିଥିଲେ କମଳା ପୂଜାରୀ। ତାଙ୍କ ପ୍ରେରଣାରେ ପାତ୍ରପୁଟର ଆଖପାଖ ଗାଁରେ ବନ୍ଦ ହୋଇଯାଇଥିଲା ରାସାୟନିକ ସାରର ବ୍ୟବହାର।