ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ସରକାର ବଦଳିବା ପରେ ଦୁଇମାସ ବିତିବାକୁ ବସିଥିବା ବେଳେ ଜିଲ୍ଲାପାଳ ସ୍ତରରେ ଏତେ ବଡ଼ ବଦଳି ହୋଇଛି । ପ୍ରଶାସନିକ କ୍ଷେତ୍ରରେ ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି । ୧୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ସରକାର । ବରିଷ୍ଠ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ଦାୟିତ୍ୱରେ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ରାଜସ୍ୱ ବୋର୍ଡର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓସ୍ଡମାର ନିର୍ବାହୀ ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଡିଭିଜନ ନିର୍ଦ୍ଦେଶକ, ସିଏମ୍ସି କମିସନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ସେଠାରେ ଥିବା ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।