ରାଜ୍ୟର ୯୧ଜଣ ବିଡିଓଙ୍କ ବିରୁଦ୍ଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏବେ ସେସବୁ ବିଚାରାଧୀନ ରହିଛି । ଏହି ତାଲିକାରେ ଅଧିକାଂଶ ପୂର୍ବତନ ବିଡିଓ ଅଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ସମାପ୍ତି ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିବା ପୂର୍ବତନ ବିଡିଓଙ୍କ ତାଲିକାକୁ ସାର୍ବଜନୀନ କରିଛନ୍ତି । ତେବେ ଏହି କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ତାହା ମନ୍ତ୍ରୀ କହିନାହାଁନ୍ତି ।