ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷାଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ଜୁଲାଇ ୧୬ ସୁଦ୍ଧା ସହରରୁ ୧୧୫ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ୨ଶହ ପାର୍ କରିଛି। ସେହିପରି ରାଜ୍ୟରୁ ପ୍ରାୟ ୧ହଜାର ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଏଥର ମଧ୍ୟ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ପାଇଁ ହଟ୍ସ୍ପଟ୍ ପାଲଟିଛି। ମିଳିଥିବା ତଥ୍ୟ ମୁତାବକ, ଗତ ୨୭ ତାରିଖ ସୁଦ୍ଧା ସହରରୁ ମୋଟ୍ ୨୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଜୁଲାଇ ମାସରେ ୧୬୦ଜଣ ସଂକ୍ରମିତ ସହରରୁ ବାହାରିଥିବାବେଳେ ଶେଷ ୧୧ଦିନରେ ୯୬ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜାଗମରା, ସାଲିଆସାହି, ପଟିଆ ଆଦି ସ୍ଥାନରୁ ବେଶି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି ହଟ୍ସ୍ପଟ୍ ପାଲଟିଛି। ଏଠାରୁ ସର୍ବାଧିକ ୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ମାସେ ହବ ଏହି ଅଞ୍ଚଳରୁ ଦୈନିକ ଡେଙ୍ଗୁରୋଗୀ ବାହାରୁଥିବା ଜଣାପଡିଛି। ଜାନୁଆରୀରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ୍ ୧୧ ହଜାର ୯୧୦ ଟେଷ୍ଟିଂ ହୋଇଛି। ଏଥିରୁ ୪୬୭ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବିଏମ୍ସି ଅଞ୍ଚଳର ୨୧୧ ଜଣ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୮୩ଜଣ ରହିଛନ୍ତି। ବାକି ୧୭୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁ ନାହିଁ। ଟେଷ୍ଟିଂ ସମୟରେ ଠିକ୍ ତଥ୍ୟ ଦେଇ ନ ଥିବାରୁ ସେମାନଙ୍କୁ ଟ୍ରେସିଂ କରିବା ସମ୍ଭବ ହୋଇପାରୁ ନ ଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।