ଭୁବବନେଶ୍ବର: ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା କଟକ ଜିଲ୍ଲା ଚୌଦ୍ୱାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରାତିରେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ଭୀଷଣ ଭୂସ୍ଖଳନ ହୋଇଥିଲା । ଏଥିରେ ପ୍ରଭାବିତ ହୋଇଥିଲେ ପର୍ଯ୍ୟଟକ । ସ୍ଥାନୀୟ ପୁଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଥିବା ପ୍ରକାଶ କରିଛି। ତାଙ୍କ ସହ ବୁଲିବାକୁ ଯାଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବା ଜଣାପଡିଛି। ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଛି ।
ବିଷ୍ଣୁଙ୍କ ଗ୍ରୁପରେ ଯାଇଥିବା ଅନ୍ୟ ୨ ଜଣ ଡାକ୍ତର ସ୍ୱୀକୃତି ମହାପାତ୍ର ଓ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବିଷ୍ଣୁ ପ୍ରସାଦ ତାଙ୍କ ପତ୍ନୀଙ୍କ ସହ ବେଙ୍ଗାଲୁରୁରୁ ୱାୟନାଡ ବୁଲିବାକୁ ଯାଇଥିଲେ। ହେଲେ ସୋମବାର ରାତିରେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ଭୀଷଣ ଭୂସ୍ଖଳନ ହେବାରୁ ସେ ଓ ତାଙ୍କ ସାଥୀ ଡାକ୍ତର ନିଖୋଜ ହୋଇଯାଇଥିଲେ। ବିଷ୍ଣୁଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।କେରଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଭୂସ୍ଖଳନରେ ୱାୟନାଡ଼ ଜିଲ୍ଲାର ମେପ୍ପାଡି, ମୁଣ୍ଡାକ୍କାଇ, ଅଟ୍ଟାଲାମାଲା, ନୁଲପୁଝା ଓ ଚୁରାଲମାଲା ଗାଁ ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଥମେ ଉପରମୁଣ୍ଡରେ ଥିବା ମେପ୍ପାଡି ଗାଁକୁ ଭୂସ୍ଖଳନ ସଂପୂର୍ଣ୍ଣ ଧୋଇ ଦେଇଥିଲା। ପରେ ଲକ୍ଷଲକ୍ଷ କ୍ବିଣ୍ଟାଲର ମାଟି, ପଥର, କାଦୁଅ ଆଦି ଅନ୍ୟଗାଁ ଉପରେ ମାଡ଼ିଯାଇଥିଲା। ବଡି ଭୋରରେ ଲୋକମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ବିପର୍ଯ୍ୟୟ ଘଟିଥିଲା। ଏଣୁ ଅନେକଙ୍କ ଜୀବନ ଶୋଇଥିବା ଅବସ୍ଥାରେ ହିଁ ଚାଲିଯାଇଛି। ବର୍ତ୍ତମାନ ସୁଦ୍ଧା ୧୨୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୧୨୮ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନେକ ମାଟି ତଳେ ଦବି ରହିଥିବା ଓ କେତେକ ନିକଟସ୍ଥ ଚେଲିୟାର୍ ନଦୀରେ ଭାସିଯାଇଥିବା ଆଶଙ୍କା କରାଯାଉଛି।