ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମମତାଙ୍କୁ ସମ୍ମାନ ଦେଇଛି ବିଜେପି । ରାଜ୍ୟସଭା ପ୍ରାର୍ଥୀ କାହାକୁ ବିଜେପି କରିବ ତାକୁ ନେଇ ଗତ କିଛି ଦିନ ଧରି ଭିନ୍ନ ଭିନ୍ନ ନାମ ଚର୍ଚା ହେଉଥିଲା । ତେବେ ମମତା ମହାନ୍ତଙ୍କୁ ରାଜ୍ୟସଭା ପଠାଇ ବିଜେପି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି । ତାହା ହେଲା ଯେଉଁମାନେ ବିଜେଡି ଛାଡି ଆସିବେ ତାଙ୍କୁ ବିଜେପି ଅବହେଳା କରିବ ନାହିଁ । ସେମାନେ ମୁକ୍ତ ଭାବେ କାର୍ଯ୍ୟ କରିବେ । ବିଜେପିର ଶକ୍ତି ବୃଦ୍ଧି ହେବା ସହ ବିଜେଡିର ଶକ୍ତି କ୍ଷେୟ ହେବ । ବର୍ତ୍ତମାନ ବିଜେଡିରେ ନେତାମାନେ ସ୍ବାଧୀନ ଭାବେ କାର୍ଯ୍ୟ କରିପାରୁନଥିବା ଅଭିଯୋଗ କରିଆସୁଥିଲେ । ଆଜି ବିଧିବଦ୍ଧ ଭାବେ ନାମାଙ୍କନ ମମତା ଭରିଥିବାରୁ ସେ ରାଜ୍ୟ ସଭାକୁ ଯିବା ସ୍ପଷ୍ଟ ହୋଇଛି।
ସେପଟେ ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମମତା ମହାନ୍ତ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ।