ବିଜେପି ଆଦର୍ଶରେ ଚାଲୁଥିବା ଦଳ । ଏଠି ନେତା ପୁଅ ନେତା ହୁଏ ନାହିଁ । କର୍ମୀ ନେତା ହୁଏ । ଭାରତରେ ୫ ହଜାର ପାର୍ଟି, ୫୦ରୁ ଅଧିକ ଆକ୍ଟିଭ ପାର୍ଟି ଅଛି । ବିଜେପି ଏକମାତ୍ର କ୍ୟାଡର୍ ପାର୍ଟି, ଯାହାର ସଦସ୍ୟତା ପ୍ରଣାଳୀ ସବୁଠୁ ସ୍ୱଚ୍ଛ। ଏଠି ଗ୍ରାଉଣ୍ଡରୁ ଆସୁଥିବା ବ୍ୟକ୍ତି ନେତା ହୁଏ। ଆଜି କିଛି ଏଭଳି ଭାବେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ଗସ୍ତ କରି ଦଳର ସଦସ୍ୟତା ଅଭିଯାନକୁ ବ୍ୟାପକ କରିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ନିଶାନା କରିଛନ୍ତି ନଡ୍ଡା।
ସେ କହିଛନ୍ତି, ଦେଶ ଏବେ ବିକାଶର ଦ୍ରୁତ ପଥରେ ଆଗକୁ ବଢ଼ି ଚାଲିଛି। ନା ନନେଇ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରି କହିଛନ୍ତି, ଭାଇ ଭଉଣୀଙ୍କୁ ବିକାଶ ଦେଖାଯାଇନି। କେବଳ ବେକାରୀ ଓ ମହଙ୍ଗା କଥା କହୁଛନ୍ତି। ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର। ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି, ଏକଥା ବୋଧେ ସେମାନଙ୍କୁ ଦେଖାଯାଉନି। ପଶ୍ଚିମବଙ୍ଗରେ ବାମ ଦଳ ପରସ୍ପର ସହ ଲଢ଼ୁଛନ୍ତି କିନ୍ତୁ ଦିଲ୍ଲୀରେ ସାଥି ହେଉଛନ୍ତି। ଟ୍ରିପଲ୍ ତଲାକ ହଟାଇ ସମାଜରେ ସମାନତା ଆଣିଛି ବିଜେପି।