ରାଜଧାନୀରେ ଆଶ୍ରମ ବିବାଦ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ଆସୁଛି । ବାବାଙ୍କୁ ନେଇ ବିତର୍କ ଚାଲିଛି । ସପକ୍ଷ ବିପକ୍ଷରେ ଆଲୋଚନା ହେଉଛି । ତୁଳସୀ ପତ୍ର ପାଦ ତଳେ ରଖି ପୂଜାକୁ ବିରୋଧ କରିଛନ୍ତି ବୁଦ୍ଧିଜୀବୀ, ଧର୍ମିକ ଅନୁଷ୍ଠାନ । ଭରତପୁର ଥାନାରେ ଅଭିଯୋଗ ହେବା ପରେ ଏନେଇ ମାମଲା ରୁଜୁ କରିଛି ପୋଲିସ । ଆଶ୍ରମ ବାହାରେ ଉତ୍ତେଜନାମୂଳକ ସ୍ଥିତି ପରିସ୍ଥିତି ଉପୁଜିଛି ।
ସେପଟେ ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଗୋଟେ ପରେ ଗୋଟେ ଖୋଲୁଛି ଗୁମର । ଆଶ୍ରମଟି ସରକାରୀ ଜମିରେ ଠିଆ ହୋଇଥିବା ଜିଏ ବିଭାଗ ସ୍ପଷ୍ଟ କରିବା ପରେ ଏବେ ବାବାଙ୍କର ବିଭିନ୍ନ ଅବତାରର ପୂଜାର୍ଚ୍ଚନାର ଭିଡିଓ ଭାଇରାଲ ହେଉଛି ।
ଆଶ୍ରମରେ ବାବାଙ୍କୁ କିପରି ପୂଜା କରାଯାଉଥିଲା ତାହାର ଭିଡିଓ ମିଳିଛି । ଫୁଲ ବିଛାଇ କିଭଳି ବାବାଙ୍କୁ ମହିଳାମାନେ ପୂଜା କରୁଥିଲେ ତାହା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିବାର ଭିଡିଓ ଭାଇରାଲ ହୋଇଛି ।
ବାବା ନିଜେ ଭକ୍ତଙ୍କ ସହ ସେଲ୍ଫି ନେଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ କିଭଳି ପୂଜାର୍ଚ୍ଚନା କରିବାକୁ ହେବ ତାହାର ତାଲିକା ମଧ୍ୟ ଏକ ଡାଏରୀରେ ରହିଛି । ଏହି ଡାଏରୀରେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଏବଂ ଅନେକ ଗୁପ୍ତ ତଥ୍ୟ ରହିଛି ।
ବିଶେଷ କରି ବାବାଙ୍କ ପାଖକୁ କିଏ ଆସନ୍ତି । କୋଉଠି ରହନ୍ତି । ଆସିଲେ କ’ଣ କ’ଣ ଖାଇବାକୁ ପଡିବ ତାର ମେନ୍ୟୁ ରହିଛି । ବାବା ସ୍ପର୍ଶ ମାଧ୍ୟମରେ କି କି ରୋଗ ଭଲ କରନ୍ତି ତାହାର ମଧ୍ୟ ଏକ ତାଲିକା ରହିଛି ।
ସେହିପରି ଡାଏରୀରେ ରହିଛି ଅନେକ ରୋଚକ ତଥ୍ୟ । ବାବାଙ୍କୁ ଲାଗି ହେଉଥିଲା ଦାମୀ ଫୁଲମାଳ,ଯାହାକି ୩୫ ହଜାର ଟଙ୍କାର ଫୁଲ । ତାଲିକାରେ ଗେଣ୍ଡୁ, ରଜନୀଗନ୍ଧା, ପଳାସ, ଗୋଲାପ ଦାମ ଅଧିକ ଥିବା ଲେଖାରହିଛି ।
ବିଭିନ୍ନ ରାଜ୍ୟରୁ ଆସୁଥିଲେ ଭକ୍ତ ସେଥିରେ ଥିଲେ ବ୍ୟବସାୟୀ, ବିଧାୟକ, ସାଂସଦ, ପରିବା ବ୍ୟବସାୟୀ ଓ ଶିଳ୍ପପତି । ରିଷ୍ଟ ଖଣ୍ଡନ ପାଇଁ ଯଜ୍ଞ ତାଲିକା ରହିଛି । ଟଙ୍କା ଦେଲେ ଭକ୍ତଙ୍କର ହେଉଥିଲା ସମସ୍ୟା ସମାଧାନ । ବାବା ନିଜେ କେଟିଏମ୍ ବାଇକ ଚଢି କାଫେରେ ଯୁବତୀମାନଙ୍କ ସହ ସମୟ ବିତାଉଥିବା କହିଛନ୍ତି ସ୍ଥାନୀୟ ଲୋକ ।
ବାବାଙ୍କୁ ଘେରି ରହୁଥିଲେ ସୁରକ୍ଷା କର୍ମୀ । ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିଲେ ଭକ୍ତ । ସିଂହାସନରେ ବସି ବାବା ଦେଖାଉଥିଲେ ରାଜକୀୟ ଠାଣୀ । ଯାହାକୁ ପାଉଥିଲେ ମନଇଛା ଦେଉଥିଲେ ନିର୍ଦ୍ଦେଶ । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ ଭକ୍ତମାନେ ଆମିଷ ଛାଡିବାକୁ କୁହାଯାଉଥିଲା ।
ବାବାଙ୍କ ପାଖକୁ ଯିବାକୁ ହେଲେ ଜଣେ ଭକ୍ତ କ’ଣ କ’ଣ ଖାଇବେ ତା’ର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଆଶ୍ରମର ଟ୍ରଷ୍ଟି । କ୍ଷୀରି, ସର୍ବତ, ହାଲୁଆ, ଖୁଆଠାରୁ ଆରମ୍ଭ କରି ମିଠା ଖେଚୁଡି ଓ ଖିଲିପାନ ବି ତାଲିକାରେ ରହିଛି ।
ସେହିଭଳି ବାବାଙ୍କ ସ୍ପର୍ଶ ମିଳିଲେ ରକ୍ତଚାପଠାରୁ ଆରମ୍ଭ କରି କୁଷ୍ଠ, ମହାମାରୀ, ହଇଜା, ଆନ୍ତ୍ରିକ ବ୍ୟାଧି, ପକ୍ଷାଘାତ ଓ ପାଗଳାମୀ ଭଳି ରୋଗ ଛାଡି ଚାଲିଯାଏ । ସେହିଭଳି ବାବାଙ୍କ ଗୁଣଗାନ ପାଇଁ ବିଭିନ୍ନ ବହି ଛପାଯାଇଛି ।
ସେପଟେ ଆଶ୍ରମ ସରକାରୀ ଜମିରେ ଠିଆ ହୋଇଥିବା ଜଣାପଡିବା ପରେ ଏବେ ପୋଲିସ ଆଶ୍ରମକୁ ଜଗି ରହିଛନ୍ତି । ଟ୍ରଷ୍ଟି ପାଣ୍ଡବ ପରିଡା ଏବେ ଫେରାର ଥିବା ବେଳେ ବାବା ବି ଫେରାର ହୋଇଯାଇଛନ୍ତି । ତେବେ ଅପେକ୍ଷା ପ୍ରଶାସନ ଆଶ୍ରମ ଉପରେ କେବେ ବୁଲଡୋଜର ବୁଲାଉଛି ।