ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣାରେ ୫ ଜଣ ଚତୁର୍ଥ ବର୍ଷର ଛାତ୍ରମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଗିଂ କରିଥିବା ୫ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସ ଆସିବା ପାଇଁ ବାରଣ କରାଯାଇଛି । ଅଭିଯୋଗର ତଦନ୍ତ କରାଯାଇ ଖୁବଶୀଘ୍ର ଥାନାରେ ମାମଲା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଡିନ ଡା ସୁଚିତ୍ରା ଦାସ ସୂଚନା ଦେଇଛନ୍ତି ।
୫ ଜଣ ଚତୁର୍ଥ ବର୍ଷର ଛାତ୍ରମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଥିବା ନେଇ ଛାତ୍ରମାନେ ଅଭିଯୋଗ କରିବା ପରେ ଏହାକୁ ନେଇ ଅଭିଭାବକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଦୁଇ ଘଣ୍ଟା ଧରି ଆଣ୍ଟି ରାଗିଂ କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ଏନେଇ ପୋଲିସରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯିବାପରେ ୫ ଜଣ ଛାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ରାଗିଂ ହୋଇଥିବା ନେଇ ଜଣେ ଦ୍ବିତୀୟ ବର୍ଷର ଛାତ୍ର ଓ ତାଙ୍କ ଅଭିଭାବକ ଗତ ଦୁଇ ଦିନ ପୂର୍ବରୁ ମେଡିକାଲ ଡିନକୁ ଲିଖିତ ଅଭିଯୋଗ ଦେଇଥିଲେ ।