ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ। ରବିବାର ୩ଟି ପର୍ଯ୍ୟାୟରେ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯାଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୭ଟି ଗେଟ୍ ଖୋଲାଯାଇଥିଲା ଏବଂ ତୃତୀୟ ପର୍ଯ୍ୟାୟରେ ୬ଟି ଗେଟ୍ ସହ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି। ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତଳିଆ ଅଂଚଳରେ ଲୋକମାନଙ୍କୁ ସତର୍କ କରାଯାଇଛି। ମହାନଦୀ ଭିତରକୁ ନ ଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି। ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପଶୁମାନଙ୍କୁ ମଧ୍ୟ ନଦୀ ନିକଟବର୍ତ୍ତୀ ଅଂଚଳକୁ ନ ଛାଡିବା ପାଇଁ କୁହାଯାଇଛି। ଜିଲ୍ଲାପାଳମାନେ ମଧ୍ୟ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।