ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ। ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି। ରାଜ୍ୟରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି। ଏଥି ସହିତ ଓଡ଼ିଶା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଯାଇଛି।୫୨ ବର୍ଷ ବୟସ୍କ ମୋହନ ମାଝୀ ଅତି ସାଧାରଣ ପରିବାରରୁ ଆସିଛନ୍ତି । କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଜନ୍ମ । ଛାତ୍ର ଜୀବନରୁ ଆରଏସଏସ ନୀତି ଆଦର୍ଶରେ ଅନୁପ୍ରାଣିତ ମୋହନ ପାଠପଢ଼ା ସାରିଲା ପରେ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକତା କରିଥିଲେ । ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇ ୧୯୯୭ ମସିହାରେ ସରପଞ୍ଚ ହୋଇଥିଲେ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ କେନ୍ଦୁଝର ଆସନରୁ ସେ ବିଜେପି ଟିକେଟ୍ ରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୪ରେ ମଧ୍ୟ ବିଧାୟକ ହୋଇଥିଲେ । ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ମେଣ୍ଟ ସରକାରରେ ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ରେ ତୃତୀୟ ଥର ପାଇଁ ବିଧାୟକ ହୋଇ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ କାମ କରିଥିଲେ । ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ ଅତ୍ୟନ୍ତ ପ୍ରଭାବୀ ଢ଼ଙ୍ଗରେ ସେ ନିଜର ଦାୟିତ୍ୱ ତୁଲାଇଥିଲେ ।