ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବ । ଆସନ୍ତାକାଲି କମିଟିର ବୈଠକ ବସିବ । ବୈଠକରେ ହିଁ ନିଷ୍ପତ୍ତି ହେବ କେବେ ରତ୍ନଭଣ୍ଡାର ଖୋଲିବ । ରତ୍ନଭଣ୍ଡାର ଖୋଲିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏଭଳି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ବିଜେଡି ସରକାର ସମୟରେ ଜଷ୍ଟିସ୍ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ତଦାରଖ କମିଟିକୁ ସରକାର ଭାଙ୍ଗି ଦେବା ପରେ ନୂଆ କମିଟିର ଆସନ୍ତାକାଲି ବୈଠକ ବସିବ । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି। ଏଥିରେ ବିଭିନ୍ନ ବର୍ଗରୁ ୧୬ ଜଣ ସଦସ୍ୟ ରହିଛନ୍ତି। ସରକାରଙ୍କର ଏହି ଅତର୍କିତ ନିଷ୍ପତ୍ତି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଥିବା ବେଳେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ସବୁ ଠିକ୍ ସମୟରେ ହେବ ।