ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ଘଟିଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ରାମୋଜି ରାଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏ ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ । ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି ।ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ । ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଯାଇଛି । ତାଙ୍କର ଉଲ୍ଲେଖନୀୟ ପ୍ରୟାସ ମାଧ୍ୟମରେ ସେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ନୂତନତା ଓ ଉତ୍କର୍ଷତା ପାଇଁ ନୂତନ ମାନକ ସ୍ଥିର କରିଥିଲେ । ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ । ସୌଭାଗ୍ୟ ବଶତଃ ମୁଁ ତାଙ୍କ ସହ ଆଲୋଚନା କରିବା ଏବଂ ତାଙ୍କ ଜ୍ଞାନରୁ ଉପକୃତ ହେବାର ଅନେକ ସୁଯୋଗ ପାଇଛି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କୁ ସମ୍ବେଦନା । ଓମ୍ ଶାନ୍ତି ।”
ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଥିବା ପରିବାର ପକ୍ଷରୁ କୁହାଯାଇଥିଲା । ତାଙ୍କର ଶେଷକୃତ୍ୟ ରବିବାର ଅନୁଷ୍ଠିତ ହେବ ।