ଦେଶରେ ଉଗ୍ର ଛାତ୍ର ଆନ୍ଦୋଳନକୁ ସମ୍ଭାଳି ନପାରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା ଚେତାବନୀ ଦେବା ପରେ ସେ ଭାରତ ପଳାଇ ଆସିଥିବା କୁହାଯାଉଛି । ଚାକିରିରେ ସଂରକ୍ଷଣକୁ ବିରୋଧ କରି ହିଂସାତ୍ମକ ଆନ୍ଦୋଳନ ବାଂଲାଦେଶରେ ଲାଗିଥିଲା । ଆଜି ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିବାକୁ ଧମକ ଦେବାରୁ ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଥିବା କୁହାଯାଉଛି। ସେନା ମୁଖ୍ୟ ଜେନେରାଲ ବକାର-ଉଜ-ଜମାନ ଦେଶକୁ ସମ୍ବୋଧିତ କରି କହିଛନ୍ତି ଦେଶରେ ଶାନ୍ତି ବଜାୟ ରହୁ । ଅନ୍ୟପକ୍ଷରେ ଦେଶବ୍ୟାପୀ କର୍ଫ୍ୟୁକୁ ଅଣଦେଖା କରି ହଜାର ହଜାର ବିକ୍ଷୋଭକାରୀ ଦୀର୍ଘ ପଦଯାତ୍ରା ପାଇଁ ଢ଼ାକାସ୍ଥିତ ଶାହାବାଗ ଛକ ନିକଟରେ ଏକାଠି ହୋଇଛନ୍ତି। କିଛିଦିନ ଧରି ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରି ଏକ ‘ଅସହଯୋଗ କାର୍ଯ୍ୟକ୍ରମ’ରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଆୱାମୀ ଲିଗ୍, ଛତ୍ର ଲିଗ୍ ଓ ଜୁବୋ ଲିଗ୍ ର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ବିଗୁଡୁଥିବା ଦେଖି ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି।