ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଖୋର୍ଦ୍ଧା, କନ୍ଧମାଳ, କଟକ, ରାୟଗଡା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ୍ ଚୋରି କରୁଥିଲେ । ପରେ ସେଇ ପାଇପ୍ଗୁଡିକୁ ବାହାର ରାଜ୍ୟକୁ ପଠାଇ ଡିଲରର୍ସଙ୍କୁ ବିକ୍ରି କରୁଥିଲେ। ଏଭଳି ଏକ ଆନ୍ତରାଜ୍ୟ ଚୋର ଗ୍ୟାଙ୍ଗର ୧୧ଜଣ ସଦସ୍ୟଙ୍କୁ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ମଧ୍ୟ ଗିରଫ ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ଟୁଙ୍ଗୁରୁ ବେଶ ଚର୍ଚ୍ଚାରେ ରହିଥିଲେ। ସେହିପରି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ଅନ୍ୟ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା ଅଞ୍ଚଳର ରମେଶ ଚନ୍ଦ୍ର ସାହୁ, କଟକ ବାଦାମବାଡିର ରାଜକୁମାର ପରିଡା, ଚନ୍ଦକା ଅଞ୍ଚଳର ସେକ୍ ରହିମ, ଗଞ୍ଜାମର ପପୁ ଭୂୟାଁ, ପାତ୍ରପଡାର ଶ୍ରୀକାନ୍ତ ମହାରଣା, ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ଭାଗୀରଥି ନାୟକ ଓ କାର୍ତ୍ତିକ ଚନ୍ଦ୍ର ସୁବୁଦ୍ଧି, କଟକ ସିଡିଏ ସେକ୍ଟର-୧ର ରଶ୍ମିରଞ୍ଜନ ଦାସ।
ପୋଲିସ ସେମାନଙ୍କଠାରୁ ନଗଦ ୨୦ ହଜାର ଟଙ୍କା, ଗୋଟିଏ ଅଟୋ, ଗୋଟିଏ ବୁଲେଟ, ୧୦ଟି ମୋବାଇଲ ଫୋନ ଜବତ କରିଥିବା ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।