ହଜାର ହଜାର କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି । ଗତ 5 ବର୍ଷରେ ଖଣି ଦୁର୍ନୀତି ବ୍ୟାପକ ହୋଇଛି କହିଛି ସିଏଜି । ରିପୋର୍ଟରେ ସିଏଜି କହିଛି ଉଚ୍ଚ ଗ୍ରେଡ୍ ଉପରେ ଅଧିକ ରୟାଲିଟି ଓ ପ୍ରିମିୟମକୁ ଏଡ଼ାଇବା ପାଇଁ ନୂଆ ଖଣି ଲିଜଧାରୀମାନେ ଉତ୍ପାଦିତ ଲୁହାପଥରର ଗ୍ରେଡକୁ ଭୁଲ୍ ରିପୋର୍ଟ ଆକାରରେ ଦର୍ଶାଇଥିଲେ । ୬ଟି ନମୂନା ଯାଂଚ ଖଣି କ୍ଷେତ୍ରରେ ପୁରୁଣା ଲିଜଧାରୀଙ୍କ ରିପୋର୍ଟ ଅନୁସାରେ ଉତ୍ତୋଳନ କ୍ଷେତ୍ରରେ ସୁସଙ୍ଗତ ଢାଂଚା ତୁଳନାରେ ନିଲାମ ପରେ ଉତ୍ତୋଳିତ ଲୁହା ଖଣ୍ଡ ଓ ଗୁଣ୍ଡର ଗ୍ରେଡରେ ଆକାରରେ ପରିବର୍ତ୍ତନ ଯୋଗୁ ୨୦୨୦-୨୧ ଓ ୨୦୨୧-୨୨ ମସିହାରେ କମ୍ ରୟାଲିଟି ଓ ପ୍ରିମିୟମ(ନିଲାମ ପରବର୍ତ୍ତୀ) ପ୍ରାୟ ୪୧୬୨.୭୭କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।
ବର୍ଷ ବର୍ଷ ଧରି ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପରେ ବି ଚେତି ନଥିଲା ତତକାଳୀନ ବିଜେଡି ସରକାର । ବରଂ ସୁଚିନ୍ତିତ ଢଙ୍ଗରେ ଖଣି ଲୁଟ୍ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଛାଇ ନଥିଲେ । ସବୁ ନିୟମକୁ ଫୁ’ କରି ଖଣି ଲୁଟେରାମାନେ ରାଜ୍ୟର ଖଣିଜସମ୍ପଦକୁ ମନଇଚ୍ଛା ଲୁଟିଛନ୍ତି । କେବଳ ଘରୋଇ ଖଣି ଲିଜଧାରୀମାନେ ବେଆଇନ ଭାବେ ବେଧଡ଼କ ଖଣିଜ ସମ୍ପଦ ଲୁଟ କରିନାହାନ୍ତି ବରଂ ସରକାରଙ୍କ ମାଲିକାନାରେ ଥିବା ଓଡ଼ିଶା ଖଣି ନିଗମ(ଓଏମସି) ମଧ୍ୟ ଏଥରୁ ବାଦ୍ ପଡ଼ିନି । ସିଏଜିଙ୍କ ଅଡିଟରୁ ଏଭଳି କିଛି ତଥ୍ୟ ପଦାକୁ ଆସିଛି । ଆଉ ସିଏଜି ଯେଉଁ କିଛି ନମୂନା ଯାଂଚ କରିଛନ୍ତି ସେଥିରୁ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଥିବା ଆକଳନ କରିଛନ୍ତି । କେଉଁଠି ନିୟମ ଉଲ୍ଲଘଂନ କରି ଲିଜ୍ ପ୍ରଦାନ ଓ ଲିଜ୍ ଅବଧି ବଢ଼ାଯାଇଛି ତ କେଉଁଠି ଲୁହାପଥରର ଗୁଣ୍ଡକୁ ସ୍କ୍ରିନଡ୍ ଫାଇନ୍ସ ଦର୍ଶାଯାଇଛି । କେଉଁଠି ଅନୁମୋଦିତ ଖଣି ଉତ୍ତୋଳନ ପରିମାଣଠୁ ଅଧିକ ଉତ୍ପାଦନ ତ ଆଉ କେଉଁଠି ପରିବେଶ ମଞ୍ଜୁରୀ ନଥାଇ ବି ଖଣିଜ ସାମଗ୍ରୀ ଉତ୍ତୋଳନ ହୋଇଛି । ଲୁହାପଥର ଗ୍ରେଡ ହ୍ରାସ, ଇ-ପାସରେ ଟ୍ରାକିଂ ନରହିବା, ଖଣିଜ ପରିବହନ ଯୋଗ୍ୟ ନଥିବା ଗାଡ଼ିକୁ ଇ-ପାସ, ଧାର୍ଯ୍ୟ ପରିମାଣଠୁ ଅଧିକ ପରିବହନ ଆଦି ଭଳି ବେଆଇନ ଖଣି କାର୍ଯ୍ୟ ସିଏଜିଙ୍କ ନଜରକୁ ଆସିଛି ।