ଆସୁଛି ବାତ୍ୟା । ଆସନ୍ତା କାଲି ସଂଧ୍ୟାରୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ସେଥିପାଇଁ ସମସ୍ତ ପ୍ରସ୍ତତି ସରିଛି । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ଜଣାପଡିବ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ । ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ ବୋଲି ସେ କହିଛନ୍ତି
ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ବାତ୍ୟାର ରୂପ ନେବ। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ ଉପକୂଳ ଅତିକ୍ରମ କରିବ।
ବାତ୍ୟା ପାଇଁ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।