ଭୁବନେଶ୍ବର: ରାଷ୍ଟ୍ରର ଗଠନ ତଥା ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ଏବଂ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଅତୁଟ ସମର୍ପଣର ସ୍ୱୀକୃତିକୁ ଆମେ ମନେ ପକାଇବା ଆବଶ୍ୟକ । ଶିକ୍ଷକମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ଆବଶ୍ୟକ । ଉଚ୍ଚଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଆମର ଶିକ୍ଷକ ଏବଂ ସେମାନଙ୍କର ଅତୁଳନୀୟ ଅବଦାନକୁ ପାଳନ କରିବା ଉଚିତ ବୋଲି ଗୁରୁପୂଜନ ଉତ୍ସବରେ କହିଥିଲେ ପୂରାତନ ଛାତ୍ରଛାତ୍ରୀ ।
ରାଜଧାନୀ, ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲର ୧୯୮୦ ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କର ସଂଘ “କ୍ୟାପିଟାଲ ୮୦” ଆନୁକୁଲ୍ୟରେ ଗତ ୧୦.୧୧.୨୦୨୪ ତାରିଖ ଦିନ ୟୁନିଟ-୯ସ୍ଥିତ ରୋଟାରୀ ଭବନ ଠାରେ ପ୍ରାକ୍ତନ ଛାତ୍ରମାନଙ୍କ ଦ୍ଵାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ୫୦ ବର୍ଷର ବନ୍ଧୁତାର ସ୍ମୃତିରେ ଅନୁଷ୍ଠିତ ହୋଇଥିଲା। ସଭ୍ୟମାନେ ୧୯୭୪ ମସିହାରେ କ୍ୟାପିଟାଲ ହାଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଯୋଗ ଦେଇଥିଲେ। ଏଠାରେ ସମସ୍ତେ ଅତୀତର ସ୍ମୃତି ମନେ ପକାଇଥିଲେ ।
ଛାତ୍ରମାନଙ୍କ ଅନୁରୋଧକ୍ରମେ କ୍ୟାପିଟାଲ ହାଇସ୍କୁଲର ଛଅ ଜଣ ବର୍ଶୀୟାନ ସ୍ବନାମଧନ୍ୟ ତତ୍କାଳୀନ ଶିକ୍ଷକ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ ଏବଂ ୫୦ରୁ ଉର୍ଦ୍ଧ୍ଵ ପ୍ରାକ୍ତନ ଛାତ୍ର ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରାକ୍ତନ ଶିକ୍ଷକ ବାସୁଦେବ ମହାପାତ୍ର, ଜନାବ ମୀର ହାଇଦର ଅଲ୍ଲୀ, ସତ୍ୟନାରାୟନ ହୋତା, ପୂର୍ଣ୍ଣଚନ୍ଦ୍ର ରଥ, ଶ୍ରୀଯୁକ୍ତ ରମାକାନ୍ତ ରାଉତ ଓ ପୂର୍ଣ୍ଣଚନ୍ଦ୍ର ଭଟ୍ଟଙ୍କୁ ଛାତ୍ରମାନଙ୍କ ଦ୍ଵାରା ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଏବଂ ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ମର୍ମ୍ମସ୍ପର୍ଶୀ କାର୍ଯ୍ୟକ୍ରମରେ ଅଭିଭୁତ ପ୍ରାକ୍ତନ ଶିକ୍ଷକମାନେ ପୁରାତନ ଛାତ୍ରମାନଙ୍କୁ ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିଥିଲେ ।
ସଂଘର ଅଧ୍ୟକ୍ଷ ଇଂ. ସରୋଜ କୁମାର ସାହୁ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପାଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ଦାସ ଓ ଇଂ. ବବିନ ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ଶ୍ରୀ ଜ୍ଞାନରଞ୍ଜନ ସେନାପତି, ଶ୍ରୀ ଅବନୀକାନ୍ତ ପଟ୍ଟନାୟକ ଆଦି ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ର ସହ ପରିଚାଳନା କରିଥିଲେ ଏବଂ ସଂପାଦକ ଆଇନଜୀବୀ ବୈକୁଣ୍ଠନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।